ନୂଆଦିଲ୍ଲୀ:ପୁଲୱାମା ଆକ୍ରମଣର ୧୨ ଦିନ ପରେ ବଦଲା ନେଇଛି ଭାରତ। ଆଜି ଭୋରରେ ବାୟୁସେନା ପକ୍ଷରୁ ଯୋଜନାବଦ୍ଧ ଭାବେ ଶତ୍ରୁ ଶିବିରକୁ ଟାର୍ଗେଟ କରାଯାଇଥିଲା। ଏଥିରେ କୁଖ୍ୟାତ ଆତଙ୍କବାଦୀ ତଥା ପୁଲୱାମା ଆକ୍ରମଣର ଖଳନାୟକ ‘ଜୈଶ-ଇ-ମହମ୍ମଦ’(ଜେଇଏମ୍)ର ବହୁ ଶିବିର ଧ୍ୱଂସ ହୋଇଛି। କେବଳ ଜେଇଏମ୍ ନୁହେଁ, ଲଶ୍କର-ଇ-ତୋଇବା (ଏଲଇଟି), ହିଜବୁଲ ମୁଜ୍ଜାହିଦ୍ଦୀନ ଆତଙ୍କୀ ସଙ୍ଗଠନର ମଧ୍ୟ ବହୁ ଶିବିର ନଷ୍ଟ ହୋଇଥିବା ଜଣାପଡ଼ିଛି।ମାତ୍ର ୧୩ ମିନିଟ୍ ଭିତରେ ଭାରତୀୟ ସେନା ପକ୍ଷରୁ ୩ଟି ସ୍ଥାନକୁ ଟାର୍ଗେଟ କରାଯାଇ ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରାଯାଇଥିଲା। ପ୍ରଥମ ଆକ୍ରମଣ ଭୋର ୩ଟା ୪୫ରେ ବାଲାକୋଟ୍ରେ କରାଯାଇଥିଲା। ଏହା ପରେ ୩ଟା ୪୮ରେ ମୁଜାଫରାବାଦ୍ ଏବଂ ୩ଟା ୫୮ରେ ଚାକୋଠିରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଏଲଓସି ଠାରୁ ୫୦ କିଲୋମିର ପର୍ଯ୍ୟନ୍ତ ପ୍ରବେଶ କରି ଭାରତୀୟ ବାୟୁ ସେନା ପକ୍ଷରୁ ଆଜି ଭୋରରେ ଆକ୍ରମଣ କରାଯାଇଥିଲା। ଏଥିରେ ୨୦୦ ରୁ ୩୦୦ ଆତଙ୍କବାଦୀ ମରିଥିବା କୁହାଯାଉଛି। ତେବେ ଏନେଇ ଏଯାବତ୍ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ
ଏ ସମ୍ପର୍କରେ ଜାତୀୟ ସୁରକ୍ଷା ପରାମର୍ଷଦାତା(ଏନ୍ଏସ୍ଏ) ଅଜିତ୍ ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଇଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଏକ ଜରୁରୀ ବୈଠକ ଡାକି ଏ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ବୈଠକରେ ଗୃହ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ଦିନ ସାଢ଼େ ୧୧ଟାରେ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିଜୟ ଗୋଖଲେ ଏ ଘଟଣା ସଂପର୍କରେ ସବିଶେଷ ଆଲୋଚନା କରିବେ।
ପାକ୍ ଅଧିକୃତ କଶ୍ମୀରରେ ଭାରତୀୟ ବାୟୁସେନାର ଆକ୍ରମଣକୁ ପାକିସ୍ତାନ ସେନା ସ୍ୱୀକାର କରିଛି। ଏ ଘଟଣା ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଜରୁରୀ ବୈଠକ ଡାକିଛନ୍ତି।
ଅନ୍ୟପକ୍ଷରେ ବାୟୁସେନା ପକ୍ଷରୁ ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ପାକିସ୍ତାନୀ ବାୟୁସେନା ପକ୍ଷରୁ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆକ୍ରମଣ କରାଯିବାର ଆଶଙ୍କା ଥିବାରୁ ବାୟୁସେନା ହାଇ ଆଲର୍ଟ ଜାରି କରାଯାଇଛି। ଏହା ସହିତ ପଞ୍ଜାବ ଓ ହରିୟାଣାରେ ଥିବା ବିମାନଘାଟିଗୁଡ଼ିକରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି।
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ଜମ୍ମୁ କଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ପକ୍ଷରୁ ଆତ୍ମଘାତୀ ଆକ୍ରମଣ କରାଯାଇଥିଲା। ଏଥିରେ ସିଆର୍ପିଏଫ୍ର ୪୦ ଜଣ ଯବାନ ସହିଦ ହୋଇଥିଲେ।

