ଦ୍ରୁତଗତିରେ ବଢ଼ୁଛି ବ୍ଲାକ୍‌ହୋଲ୍‌: ପ୍ରତି ସେକେଣ୍ଡରେ ପୃଥିବୀ ଆକୃତିର ଗ୍ରହ ଗିଳୁଛି

24

କାନବେରା, ୧୭ା୬:ଏକ ଅଭୂତପୂର୍ବ ଆବିଷ୍କାର କ୍ରମେ ଅଷ୍ଟ୍ରେଲୀୟ ଜ୍ୟୋତିର୍ବିଜ୍ଞାନୀ ପ୍ରାୟ ୯ ଶହ କୋଟି ବର୍ଷର ଏକ ବ୍ଲାକ୍‌ହୋଲ ବା କୃଷ୍ଣଗର୍ତ୍ତକୁ ଠାବ କରିଛନ୍ତି। ବ୍ଲାକ୍‌ହୋଲଟି ଏତେ ଦ୍ରୁତଗତିରେ ବଢ଼ୁଛି ଯେ, ପ୍ରତି ସେକେଣ୍ଡରେ ଏହା ଗୋଟିଏ ପୃଥିବୀ ଆକାରର ଗ୍ରହକୁ ଗିଳୁଛି। କୌଣସି ବ୍ଲାକହୋଲ ଏତେ ଦ୍ରୁତଗତିରେ ବଢ଼ୁଥିବା ବାବଦରେ ତଥ୍ୟ ନ ଥିବାରୁ ଅଷ୍ଟ୍ରେଲିଆ ନ୍ୟାଶନାଲ ୟୁନିଭର୍ସିଟି (ଏଏନ୍‌ୟୁ)ର ଜ୍ୟୋତିର୍ବିଜ୍ଞାନୀମାନେ ଏହାକୁ ଏକ ବିରଳ ଘଟଣା ଅଭିହିତ କରିଛନ୍ତି। ଏହି ବ୍ଲାକ୍‌ହୋଲର ଉଜ୍ଜ୍ୱଳତା ଆମ ଆକାଶଗଙ୍ଗା ଗ୍ୟାଲେକ୍ସିରେ ଥିବା ପ୍ରତିଟି ତାରକାଠାରୁ ୭ ହଜାର ଗୁଣ ଅଧିକ। ଫଳରେ ଉପଯୁକ୍ତ ଉପକରଣ ମାଧ୍ୟମରେ ତାହା ଦୃଶ୍ୟମାନ ହୋଇପାରୁଛି। ଏ ନେଇ ଏଆର୍‌ଏକ୍ସଆଇଭିରେ ପ୍ରକାଶ ପାଇଥିବା ରିପୋର୍ଟ ଅଷ୍ଟ୍ରେଲିଆର ପବ୍ଲିକେଶନ୍‌ସ ଅଫ୍‌ ଦି ଆଷ୍ଟ୍ରୋନୋମିକାଲ ସୋସାଇଟିରେ ଦାଖଲ ହୋଇଛି।
ପୂର୍ବରୁ ଏତେ ବର୍ଷ ପୁରୁଣା ବ୍ଲାକ୍‌ହୋଲଗୁଡ଼ିକ ବଢ଼ିବା ବନ୍ଦ ହୋଇଯାଇଥିବାବେଳେ ସଦ୍ୟ ଠାବ ହୋଇଥିବା କୃଷ୍ଣଗର୍ତ୍ତଟି କିନ୍ତୁ ନିଜର ଆକାର ବଢ଼ାଇ ଚାଲିଛି। ଏହା ଆକାଶଗଙ୍ଗା ଗ୍ୟାଲେକ୍ସି ନିକଟରେ ଥିବା ସାଗିଟାରିଅସ୍‌-ଏ ବ୍ଲାକ୍‌ହୋଲଠାରୁ ୫୦୦ ଗୁଣା ଅଧିକ ବୋଲି ଜଣାଯାଇଛି। ତେଣୁ ସମ୍ପୂର୍ଣ୍ଣ ଆକାଶଗଙ୍ଗାକୁ ମଧ୍ୟ ବ୍ଲାକହୋଲ୍‌ଟି ନିଜ ଭିତରକୁ ଟାଣି ନେଇପାରିବ। ବ୍ଲାକହୋଲଟି ବିସ୍ତାର କରିବା ନେଇ ଏଏନ୍‌ୟୁ ରିସର୍ଚ୍ଚ ସ୍କୁଲ ଅଫ୍‌ ଆଷ୍ଟ୍ରୋନୋମି ଆଣ୍ଡ୍‌ ଆଷ୍ଟ୍ରୋଫିଜିକ୍ସର ପ୍ରମୁଖ ଗବେଷକ କ୍ରିଷ୍ଟୋଫର ଓନ୍‌କେନ କହିଛନ୍ତି, ଦୁଇଟି ବଡ଼ ଗ୍ୟାଲେକ୍ସି ପରସ୍ପର ସହ ଧକ୍କା ହେବା ଏହାର କାରଣ ହୋଇପାରେ। ଏଥିରୁ ନିର୍ଗମନ ହୋଇଥିବା ବିପୁଳ ମାତ୍ରାରେ ଊର୍ଜା ବ୍ଲାକ୍‌ହୋଲକୁ ବିସ୍ତାର କରାଇବାରେ ସାହାଯ୍ୟ କରୁଥିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର କେନ୍ଦ୍ର ବା କ୍ୱାସରର ନାମ ଏସ୍‌ଏମ୍‌ଏସ୍‌ଏସ୍‌ ଜେ୧୧୪୪୪୭.୭୭- ୪୩୦୮୫୯.୩ ରଖାଯାଇଛି। ଅଷ୍ଟ୍ରେଲୀୟ ଗବେଷକଙ୍କ ଦ୍ୱାରା ଠାବ ହୋଇଥିବା ଏହି କୃଷ୍ଣଗର୍ତ୍ତର ଭିଜୁଆଲ ମାଗ୍ନିଚ୍ୟୁଡ୍‌(ପୃଥିବୀରୁ ଦେଖାଯାଇପାରୁଥିବ ଜିନିଷର ଉଜ୍ଜ୍ୱଳତା ମାପକ) ୧୪.୫ ରହିଛି। ଅନ୍ଧାରିଆ ସ୍ଥାନରୁ ଏକ ଉନ୍ନତ ଟେଲିସ୍କୋପ ମାଧ୍ୟମରେ ଯେ କେହି ବି ବ୍ଲାକହୋଲଟିକୁ ଦେଖିପାରିବେ।
ଉଲ୍ଲେଖଯୋଗ୍ୟ, କୌଣସି ତାରକାର ମୃତ୍ୟୁ ପରେ ବ୍ଲାକ୍‌ହୋଲର ସୃଷ୍ଟି ହୋଇଥାଏ। ଏହାର ମାଧ୍ୟାକର୍ଷଣ କ୍ଷେତ୍ର ଏତେ ଅଧିକ ରହିଥାଏ ଯେ ଅନ୍ୟ ତାରକାକୁ ଏହା ନିଜ ଭିତରକୁ ଟାଣି ନେଇ ସମ୍ପୂର୍ଣ୍ଣ ଭାବେ ଗିଳିଦେଇପାରେ। ଏହା ମଧ୍ୟ ଦେଇ ଆଲୋକ ପ୍ରବେଶ କରିପାରୁ ନ ଥିବାରୁ ବ୍ଲାକ୍‌ହୋଲ ଦୃଶ୍ୟମାନ ହୋଇପାରି ନ ଥାଏ।

 

 

Leave A Reply
instagram türk takipçi - internetten para kazanma - instagram followers- PUBG Mobile - Youtube izlenme nasıl satın alınır