
ସମାଜ ପୋର୍ଟାଲ ଡେସ୍କ: ୨୦୧୯ ଡିସେମ୍ବରରୁ କାୟା ବିସ୍ତାର କରିଥିବା କରୋନା ଭୁତାଣୁ ସଂକ୍ରମଣ ଇତି ମଧ୍ୟରେ ୩୦ଟି ଦେଶକୁ ବ୍ୟାପି ସାରିଥିବା ବେଳେ ୯ଟି ଦେଶରେ ସ୍ଥିତି ଉଦବେଗଜନକ ରହିଛି। ଚୀନ ଏବଂ ଦକ୍ଷିଣ କୋରିଆରେ ନୂଆ ସଂକ୍ରମଣ ଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଇଉରୋପ ଏବଂ ପୂର୍ବ ମଧ୍ୟ ପ୍ରାଚ୍ୟରେ ଏହି ଭୁତାଣୁ ସଂକ୍ରମଣ ଆରମ୍ଭ ହୋଇଛି। କୋଭିଡ-୧୯ ନାମରେ ପରିଚିତ ଏହି ସଂକ୍ରମଣରେ ଇଂଲଣ୍ଡରେ ୧୩ ଜଣ ସଂକ୍ରମିତ ହୋଇଥିବା ବେଳେ ଗତ ସପ୍ତାହରେ ଡାଇମଣ୍ଡ ପ୍ରିନସେସ ଜାହାଜ କର୍ମଚାରୀଙ୍କ ମଧ୍ୟରୁ ୪ ଜଣଙ୍କୁ ସଂକ୍ରମଣ ହୋଇଥିବା ଜଣାପଡିଥିଲା।
କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା କେବଳ ଚୀନରେ ୨ହଜାର ୬୬୩ ହୋଇଥିବା ବେଳେ ମୃତ୍ୟୁ ହାର ୨ ପ୍ରତିଶତରେ ପହଞ୍ଚିଛି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ଘୋଷଣା କରିବାକୁ ପ୍ରତ୍ୟାଖାନ କରିଛି। ସର୍ବଶେଷ ସୂଚନା ଅନୁଯାୟୀ ଚୀନରେ ସଂକ୍ରାମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୭୭ ହଜାର ୬୫୮ରେ ପହଂଚି ଥିବାବେଳେ ହୁବେଇ ଅଂଚଳରେ ଅଧିକ ଲୋକ ଏହି କରୋନା ଭୁତାଣୁର ସଂକ୍ରମିତ ହୋଇଛନ୍ତି। ଚୀନର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ କୁହାଯାଇଛି ଯେ ଏ ପର୍ଯ୍ୟନ୍ତ ୧୨ ହଜାର ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି ଓ ଏବେ ସେମାନେ ସଂକ୍ରମଣ ମୁକ୍ତ। ତେବେ ଗତକାଲି ଅର୍ଥାତ ମଙ୍ଗଳବାର ଦିନ ଚୀନରେ ୫୦୮ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ୭୧ ଜଣଙ୍କର ମୃତ୍ୟୁ ଘଟିଛି ଓ ସେମାନଙ୍କ ମଧ୍ୟରୁ ୬୮ ଜଣ ଊହାନର ବୋଲି ସ୍ପଷ୍ଟ ହୋଇଛି।

