ବେଜିଂ, ୯ା୨: ଚାଇନାରେ କରୋନା ଭାଇରସ୍ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ଏହି ମୃତ୍ୟୁସଂଖ୍ୟା ୭୨୩ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪, ୮୦୦କୁ ବୃଦ୍ଧିପାଇଛି। ଚାଇନାର ହୁବେଇ ପ୍ରଦେଶ ପରିସ୍ଥିତି ସାଂଘାତିକ ହୋଇପଡ଼ିଛି। ଏଠାରେ ଶନିବାର ୮୧ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସାର୍ସ(ସିଭିୟର ଆକ୍ୟୁଟ୍ ରେସ୍ପିରେଟୋରି ସିଣ୍ଡ୍ରୋମ) ଠାରୁ ଏହା ଅଧିକ ଭୟଙ୍କର ହେବାରେ ଲାଗିଛି। ୨୦୦୨-୦୩ରେ ସାର୍ସ ଯୋଗୁ ବିଶ୍ୱବ୍ୟାପୀ ମୋଟ ୭୭୪ ଲୋକ ପ୍ରାଣ ହରାଇଥିଲେ। କିନ୍ତୁ କରୋନା ଭାଇରସ୍ ସଂକ୍ରମଣ ସ୍ଥିତି ଯେଉଁଭଳି ଭାବେ ବଢ଼ିଚାଲିଛି, ତାହା ବିଶ୍ୱବାସୀଙ୍କୁ ଆତଙ୍କିତ କରିପକାଇଛି। ବର୍ତ୍ତମାନ ସୁଦ୍ଧା ୨୭ ଦେଶକୁ କରୋନା ଭାଇରସ୍ ସଂକ୍ରମଣ ହୋଇସାରିଛି।
ଜାପାନର କ୍ରୁସ୍ ଲାଇନର ଜାହାଜରେ ଥିବା ୩,୭୦୦ ଯାତ୍ରୀଙ୍କୁ କରୋନା ଭାଇରସ୍ ଯୋଗୁ ଅଲଗା ରଖାଯାଇଛି। ଏଥିରେ ଭାରତର ୧୩୮ ଜଣ ଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ପ୍ରତି ଦୃଷ୍ଟି ଦିଆଯାଉଥିବା ଜଣାପଡ଼ିଛି। କୋଚିରେ ୧୫ ଛାତ୍ର ଆସି ପହଞ୍ଚିଥିବାବେଳେ ସେମାନଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଛି। ଅନ୍ୟପକ୍ଷରେ ହଂକଂରେ ଜଣେ ଓ ଫିଲିପାଇନ୍ସରେ ଜଣେ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବାବେଳେ ଚାଇନାକୁ ଛାଡ଼ି ବଶ୍ୱବ୍ୟାପୀ ସଂକ୍ରମିତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି। ଚାଇନା ପକ୍ଷରୁ ସ୍ଥିତି ସୁଧାରିବା ଲାଗି ଜୋର୍ଦାର ପ୍ରୟାସ କରାଯାଉଛି। ଶନିବାର ପୁଣି ୧୫ଶହ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ଉହାନ୍ରେ ଖୋଲାଯାଇଛି। କରୋନାକୁ ରୋକିବା ଲାଗି ଆମେରିକା ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି। ପ୍ରକାଶଥାଉ କି, ଏହି ରୋଗରେ ଆକ୍ରାନ୍ତ ୬୦ ବର୍ଷିୀୟ ଜଣେ ଆମେରିକୀୟ ମହିଳାଙ୍କ ଗୁରୁବାର ଉହାନ୍ରେ ମୃତ୍ୟୁ ହୋଇଥିଲା। ଆମେରିକୀୟ ଦୂତାବାସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ସେହିଭଳି ଜାପାନର ଜଣେ ବ୍ୟକ୍ତି ମଧ୍ୟ ସନ୍ଦିଗ୍ଧ କରୋନା ଭାଇରସ୍ରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ଚାଇନାକୁ ଛାଡ଼ି ବର୍ତ୍ତମାନ ସୁଦ୍ଧା ଜାପାନରେ ସର୍ବାଧିକ ୮୯, ସିଙ୍ଗାପୁରରେ ୩୩, ଥାଇଲାଣ୍ଡରେ ୩୨, ଦକ୍ଷିଣ କୋରିଆରେ ୨୪ ରୋଗୀ କରୋନା ଭାଇରସ୍ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।
The post ୨୭ ଦେଶକୁ ମାଡ଼ିଲାଣି କରୋନା appeared first on Dharitri Odia News.

