
ମୁମ୍ବାଇ: ଗୀତ ବେବି ଡଲ୍ ଏବଂ ଚିଟିଆନ୍ କଲାଇୟାନ୍ ପାଇଁ ଲୋକପ୍ରିୟ ହୋଇଥିବା କଣ୍ଠଶିଳ୍ପୀ କନିକା କପୁର ଶୁକ୍ରବାର ଦିନ ନୋଭେଲ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ସେ ଲଣ୍ଡନରୁ ଫେରିବା ପରେ ତାଙ୍କର ପରୀକ୍ଷା କରାଯାଇଥିଲା। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ତାଙ୍କୁ ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି (କେଜିଏମୟୁ) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ମେଡିକାଲ ରିପୋର୍ଟ ମଧ୍ୟ ଏବେ ସାମ୍ନାକୁ ଆସିଥିବା ବେଳେ ବିଦେଶରୁ ଫେରି ସେ ନିଜର ଯାତ୍ରାର ବିବରଣୀ ଲୁଚାଇଥିଲେ ବୋଲି ସାମ୍ନାକୁ ଆସିଛି।
୪୧ବର୍ଷୀୟା କଣ୍ଠଶିଳ୍ପୀ କିଛି ସମୟ ପାଇଁ ଲଣ୍ଡନରେ ଥିଲେ ଏବଂ ମାର୍ଚ୍ଚ ୧୫ରେ ସେ ଲକ୍ଷ୍ନୌକୁ ଫେରିଥିଲେ। କିନ୍ତୁ ସେ ଭାରତ ଫେରି ତାଙ୍କ ଯାତ୍ରା ଇତିହାସ ବିଷୟରେ ଅଧିକାରୀମାନଙ୍କୁ ଜଣାଇନଥିଲେ। ଲକ୍ଷ୍ନୌରେ ପହଞ୍ଚିବା ପରେ କନିକା ଏକ ପଞ୍ଚ ତାରକା ହୋଟେଲରେ ନିଜ ସାଙ୍ଗ ଏବଂ ପରିବାର ପାଇଁ ଏକ ଭୋଜିର ଆୟୋଜନ ମଧ୍ୟ କରିଥିଲେ ବୋଲି ଜଣା ପଡ଼ିଛି।

ରିପୋର୍ଟ ଅନୁଯାୟୀ, ପାର୍ଟିରେ ବିଭିନ୍ନ ପ୍ରଶାସନିକ ଅଧିକାରୀ, ରାଜନେତା ଏବଂ ସମାଜସେବୀ ଯୋଗ ଦେଇଥିଲେ। ଏହା ସହ ଲଣ୍ଠନରୁ ଫେରିବା ପରେ ସେ ଲକ୍ଷ୍ନୌର ଏକ ବିସ୍ତୃତ ଆପାର୍ଟମେଣ୍ଟରେ ରହିଥିଲେ ବୋଲି ଜଣା ପଡ଼ିଛି। ହେଲେ ବର୍ତ୍ତମାନ ପାର୍ଟିରେ ଯୋଗ ଦେଇଥିବା ଲୋକ ଏବଂ କନିକା ରହୁଥିବା ଆପାର୍ଟମେଣ୍ଟର ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯିବ ଦରକାର କି ନାହିଁ ସେ ନେଇ ସ୍ବାସ୍ଥ୍ୟ ଅଧିକାରୀମାନେ ନିଶ୍ଚିତ ହୋଇନାହାନ୍ତି।। କନିକାଙ୍କ ବାପାଙ୍କ କହିବା ମୁତାବକ, ଲଣ୍ଠନରୁ ଫେରିବା ପରେ ୩ଟି ପାର୍ଟିରେ ଯୋଗ ଦେଇଥିଲେ। ପାର୍ଟିରେ ସେ ପ୍ରାୟ ୩୫୦-୪୦୦ଲୋଙ୍କ ସଂଶ୍ପର୍ଷରେ ଆସିଥିଲେ। ଏବେ ଆମେ କନିକା ସହ ଆଇସୋଲେସନରେ ରହିଛୁ।

