
ହାଇଦ୍ରାବାଦ: ଶନିବାର ଦିନ ପ୍ରବଳ ବର୍ଷା ଯୋଗୁଁ ଦୁବାଇକୁ ଆସୁଥିବା ବିମାନର ଗତିପଥ ପରିବର୍ତ୍ତନ କରାଯିବାରୁ ଅଲ୍ ମକ୍ତୌମ୍ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ଖାଦ୍ୟପାନୀୟ ବିନା ପ୍ରାୟ ୩୦୦ ଭାରତୀୟ ଯାତ୍ରୀ ୧୨ ଘଣ୍ଟା କାଳ ଅଟକି ରହିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ହାଇଦ୍ରାବାଦର ବାସିନ୍ଦା। ବର୍ଷା ଯୋଗୁଁ ଦୁବାଇ ଆନ୍ତର୍ଜାତିକ ବିମାନ ବନ୍ଦରର ୧ ନମ୍ବର ଟର୍ମିନାଲ୍ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ବିମାନ ବନ୍ଦରରୁ ଉଡ଼ାଣ ବାତିଲ କରାଯିବାରୁ ଯୁକ୍ତରାଷ୍ଟ୍ର ଆମେରିକା ଅଭିମୁଖେ ବାହାରିଥିବା ଅନେକ ଯାତ୍ରୀ ମଧ୍ୟ ଦୁବାଇରୁ ସେମାନଙ୍କର ‘କନେକ୍ଟିଙ୍ଗ୍’ ବିମାନ ପାଇ ପାରି ନ ଥିଲେ। ସେମାନଙ୍କୁ ଜାନୁଆରି ୧୪ କିଂବା ପରବର୍ତ୍ତୀ କୌଣସି ତାରିଖରେ ଆମେରିକା ‘କନେକ୍ସନ୍’ ଦିଆଯାଇଛି।

ବିମାନ ବନ୍ଦରରେ ପ୍ରବଳ ହଟଗୋଳ ଲାଗିବାରୁ ଅସହାୟ ଯାତ୍ରୀମାନଙ୍କ ମଧ୍ୟରୁ କେତେକ ଦୁବାଇସ୍ଥିତ ସେମାନଙ୍କ ବାସଭବନକୁ ଫେରିଯାଇଥିଲେ। ବାକି ଯାତ୍ରୀମାନଙ୍କ ରହିବା ବିଳମ୍ବିତ ସନ୍ଧ୍ୟା ଯାଏଁ ମଧ୍ୟ କୌଣସି ବନ୍ଦୋବସ୍ତ କରାଯାଇ ନ ଥିଲା।

