
ସମାଜ ପୋର୍ଟାଲ ଡେସ୍କ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡ ପାଇଥିବା ୪ ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମା ଆଜି ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ମୃତ୍ୟୁଦଣ୍ଡକୁ ପରିବର୍ତ୍ତନ କରି ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ଅନୁରୋଧ କରିଛି। ବିନୟ ଶର୍ମାର ଓକିଲ ଏପି ସିଂହଙ୍କ ମାଧ୍ୟମରେ ସେ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାକୁ ଆବେଦନ କରିଛି। ଆଇନଜୀବୀ ଏପି ସିଂହ କ୍ରାଇମବ୍ରାଞ୍ଚର ଧାରା ୪୩୨ ଏବଂ ୪୩୩ ଅନୁଯାୟୀ ମୃତ୍ୟୁଦଣ୍ଡ ସ୍ଥଗିତ ରଖିବାକୁ ଏହି ଆବେଦନ କରିଛନ୍ତି।
ବିନୟ ଶର୍ମା ତା ଆବେଦନରେ ଦର୍ଶାଇଛି ଯେ ସେ ମୃତ୍ୟୁଦଣ୍ଡ ପାଇବାକୁ ଯୋଗ୍ୟ ନୁହେଁ ଯାହା ‘ବିରଳ ମାମଲା’ କ୍ଷେତ୍ରରେ ଦିଆଯାଇଥାଏ। ତେଣୁ ତାକୁ ପରିବର୍ତ୍ତନ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାକୁ ସେ ଆବେଦନରେ ଦର୍ଶାଇଛି। ସେ ଆହୁରି ମଧ୍ୟ କହିଛି ଯେ ଜେଲରେ ଥିବା ସମୟରେ ତାର କାର୍ଯ୍ୟକଳାପ, ବୟସ, ଦୁର୍ବଳ ସାମାଜିକ ଅର୍ଥନୈତିକ ପରିସ୍ଥିତିକୁ ବିଚାର କରି ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଉ।
୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀରେ ଏକ ଚଳନ୍ତା ବସରେ ୬ ଜଣ ୨୩ ବର୍ଷୀୟ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କ ସହ ଗଣଦୁଷ୍କର୍ମ କରିବା ସହ ଅତ୍ୟନ୍ତ ଅମାନବୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ ଓ ପରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା।

