‘ତଅପୋଇ’ର ସଂଳାପ ରଚନା: ବିଜୟ ମିଶ୍ର

0
Advertisement

ଓଡ଼ିଶାର ପ୍ରସିଦ୍ଧ ସଂଳାପକାର ଓ ନାଟ୍ୟକାର ବିଜୟ ମିଶ୍ର ଆଉ ନାହାନ୍ତି। ୮୩ ବର୍ଷ ବୟସରେ ଆଜି ସେ ଇହଧାମ ତ୍ୟାଗ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ‘ତଅପୋଇ’ର ପ୍ରାକ୍‌ପ୍ରସ୍ତୁତିକୁ ନେଇ ସ୍ବର୍ଗତ ମିଶ୍ରଙ୍କ ଲିଖିତ ଏ ଆଲେଖଟି ୧୯୭୮ ମସିହାରେ ସିନେମା ପତ୍ରିକା ‘ଚିତ୍ରପୁରୀ’ର ସ୍ବତନ୍ତ୍ର ତଅପୋଇ ସଂଖ୍ୟାରେ ପ୍ରକାଶ ପାଇଥିଲା। ଚଳଚ୍ଚିତ୍ର ଗବେଷକ ଓ ଲେଖକ ସୂର୍ଯ୍ୟ ଦେଓଙ୍କ ସୌଜନ୍ୟରୁ ପ୍ରାପ୍ତ ଏ ଆଲେଖଟି ପାଠକଙ୍କ ପାଇଁ ଅବିକଳ ଏଠାରେ ପ୍ରକାଶ କରୁଛୁ।

କାଗଜ କଲମ କିଣା ସରିଲା। ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ, ଚିତ୍ରନାଟ୍ୟକାର ସମସ୍ତଙ୍କ ସାଙ୍ଗରେ କଥାବାର୍ତ୍ତ ଶେଷ, ଏଣିକି ଖାଲି କାମ ଆରମ୍ଭ କରିବା ଯାହା ବାକି। କିନ୍ତୁ ତଅପୋଇ କ’ଣ ଖାଲି ତଅପୋଇର କଥା? ତା’ରି ଦୁଃଖସୁଖ, ହସକାନ୍ଦ କ’ଣ ଏକମାତ୍ର ବିଷୟବସ୍ତୁ? ନିର୍ଦ୍ଦେଶକ ଶରତ ପୂଜାରୀ, ସଂଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି ଓ ମୁଁ, ଆମ ଭିତରେ ଅନେକ ଆଲୋଚନା, ଅନେକ କଳ୍ପନାଜଳ୍ପନା? ଆମ ପାଖରେ ମାତ୍ର ପଚିଶ ପଇସାର ଛପା ଗୀତ ବହି: ତଅପୋଇ! କିନ୍ତୁ ସମସ୍ୟା ଅନେକ, ପ୍ରଶ୍ନ ବି ଅନେକ।

ପ୍ରଥମ: ତଅପୋଇ କ’ଣ କିମ୍ବଦନ୍ତୀ? ଯଦି କିମ୍ବଦନ୍ତୀ ବା ଲୋକ କଥା, ତାହା ସହ ଜଡ଼ିତ ଅତୀତ ଉତ୍କଳର ନୌବାଣିଜ୍ୟ ଚିତ୍ର କଣ ଏକ ତତ୍କାଳୀନ ସାମାଜିକ ଦଲିଲ?

ଦ୍ଵିତୀୟ: ତଅପୋଇର ସମ୍ଭାବ୍ୟ ସମୟ କେବେ? ଯେଉଁ ଶତାବ୍ଦୀରେ ଏ ଘଟଣା ସମ୍ଭବ, ସେ ଶତାବ୍ଦୀର ଓଡ଼ିଆ ଘରେ ଚଳଣି କ’ଣ ଥିଲା? କଣ ଥିଲା ସେମାନଙ୍କ କଥିତ ଭାଷା? ପୋଷାକ ପତ୍ର?

ତୃତୀୟ: ତଅପୋଇ ଚିତ୍ର ପ୍ରସ୍ତୁତ କରିବାକୁ ହେଲେ ଖାଲି କ’ଣ ତଅପୋଇର ଗପ ରହିବ ନା ତା ସାଙ୍ଗରେ ଓଡ଼ିଶାର ସେଇ ସମୟର ପ୍ରାମାଣିକ ଚିତ୍ର ରହିବ?

ଏହି ସବୁ ପ୍ରଶ୍ନର ସମାଧାନ ପାଇଁ ଆମକୁ ମ୍ୟୁଜିୟମ ପର୍ଯ୍ୟନ୍ତ ଦୌଡ଼ବାକୁ ହୋଇଛି। ଓଡ଼ିଶା ମ୍ୟୁଜିୟମ ପୋଥି ବିଭାଗର ପଣ୍ଡିତ ନୀଳମଣି ମିଶ୍ରଙ୍କ ସହିତ ଅନେକ ଆଲୋଚନା କରିବାକୁ ହୋଇଛି। ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ସଂଗୃହୀତ ତଅପୋଇର ତାଳପତ୍ର ପୋଥି ଦେଖିବାକୁ ପଡିଛି। କଳା ନିର୍ଦେଶକ ଅସୀମ ବସୁଙ୍କୁ ସଂଗ୍ରହ କରିବାକୁ ପଡ଼ିଛି ସେଥିରୁ ବୋଇତର ଚିତ୍ର। ସେତେବେଳର ପୋଷାକ ପରିଚ୍ଛଦ, ଅଳଙ୍କାର, କେଶବିନ୍ୟାସ ଇତ୍ୟାଦି ଅନୁଧ୍ୟାନ କରିବାକୁ ପଡ଼ିଛି।

ଏସବୁ କରିସାରିଲା ପରେ ପୁଣି ଆଉ ଏକ ସମସ୍ୟା ମୁଣ୍ଡ ଟେକି ଉଠିଲା। ଭାଷା? ସଂଳାପର ମାଧ୍ୟମ କଣ ହେବ? ସେଇ ସମୟର ଗଦ୍ୟ ସାହିତ୍ୟ ଓଡ଼ିଆ ଭାଷାରେ ଆସିବ କେଉଁଠୁ? ପୁଣି ବୋଇତରେ, ବନ୍ଦରରେ, ନାବିକ ଓ ଜଳଦସ୍ୟୁ ମାନଙ୍କ ପାଇଁ?

ଏସବୁ ଯେତେବେଳେ ବିଶେଷ କରି ମୋତେ ଚିନ୍ତିତ କରି ରଖିଥିଲା ଅକ୍ଷୟ ମହାନ୍ତି ହଠାତ ଦୁଇଟି ଗ୍ରନ୍ଥ ନେଇଆସିଲେ। ଗୋଟିଏ ଫକୀର ମୋହନ ଗ୍ରନ୍ଥାବଳୀ, ଆରଟି ଚକ୍ରଧର ମହାପାତ୍ରଙ୍କ ସଂଗୃହିତ ଉତ୍କଳ ଗାଉଁଲି ଗୀତ। ଅକ୍ଷୟ ମହାନ୍ତିଙ୍କୁ ଧନ୍ୟବାଦ, ସେ ଏମିତି ସମସ୍ୟାମାନଙ୍କର ସନ୍ଧିସ୍ଥଳରେ ଆସି ପହଞ୍ଚନ୍ତି ଏବଂ ସମସ୍ୟାର ସମାଧାନ ହୋଇଯାଏ।

ଫକୀର ମୋହନଙ୍କ ପୂର୍ବରୁ ଓଡ଼ିଆ ଗଦ୍ୟ ଶୈଳୀରେ ଏବଂ ତତ୍କାଳୀନ କଥିତ ଭାଷାରେ କିଛି ଲିପିବଦ୍ଧ ପୁସ୍ତକ ଅଛି କି ନାହିଁ ଆମେ ଜାଣିନାହୁଁ କିନ୍ତୁ ଆମକୁ ପୂରାପୂରି ଭାବରେ ଫକୀର ମୋହନଙ୍କ ଆଶ୍ରୟ ନେବାକୁ ପଡିଲା। ବୋଇତ, ବନ୍ଦର, ଜଳଦସ୍ୟୁ, ନାବିକମାନଙ୍କର ପ୍ରତି ଶବ୍ଦ ଗ୍ରନ୍ଥ ଭିତରେ ଯାହାକୁ ଯେତେ। ତତ୍କାଳୀନ ପରିବେଶ ପାଇଁ କିସ, ଉଛୁଣିକା, ଢେର, ଗେଡ଼ି ସାଧବାଣୀ ଇତ୍ୟାଦି ଅନେକ ଶବ୍ଦ ସଂଳାପରେ ଯୋଗ କରାଗଲା, କଥିତ ଭାଷା ଉପରେ ପ୍ରାଧାନ୍ୟ ଦିଆଗଲା।

ଏଣିକି କାଗଜ କଲମର ତଅପୋଇ ପୁଣି ରକ୍ତ ମାଂସର ଦେହ ନେଇ ଖେଳି ବୁଲିବ ସାଧବ ଘର ଦାଣ୍ଡ ଅଗଣାରେ, ଏଣିକି ଘରମଣୀ ହଜିବ, ଏଣିକି ବୋହୂମାନେ ଭିତରେ ମୂଷା ମାଟି ଦଣ୍ଡିବେ, ଝିଙ୍ଗାସିବେ, କିନ୍ତୁ ସେ ଆଉ ଏକ ପର୍ବ, ଆଉ ଏକ ଆୟୋଜନ।

The post ‘ତଅପୋଇ’ର ସଂଳାପ ରଚନା: ବିଜୟ ମିଶ୍ର appeared first on Odisha Link.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here