କରୋନା ଭାଇରସର ବର୍ଦ୍ଧିତ ପ୍ରକୋପରୁ ବର୍ତ୍ତିବା ପାଇଁ ସମସ୍ତେ ଯଥାସମ୍ଭବ ଉଦ୍ୟମ କରୁଛନ୍ତି। ଏହି ଭାଇରସକୁ ନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଆସୁଛି। ଏପରି ପରିସ୍ଥିତିରେ ଡାଇବେଟିସ୍ ରୋଗୀ ମଧ୍ୟ ଏହି ଭାଇରସ୍ ଯୋଗୁଁ ଭୟରେ ଅଛନ୍ତି। ଡାଇବେଟିସ୍ ରୋଗୀ ନିଜ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଅଧିକାଂଶ ସମୟରେ ଭାଇରସର ଶିକାର ହେଉଛନ୍ତି। ତେଣୁ ଏପରି କ୍ଷେତ୍ରରେ କରୋନା ସଙ୍କଟରୁ ବର୍ତ୍ତିବା ପାଇଁ ବିଭିନ୍ନ ପ୍ରକାରର ସାବଧାନତା ଅବଲମ୍ବନ କରିବା ଉଚିତ୍।
ଶରୀରରେ ବ୍ଲଡ ସୁଗରର ମାତ୍ରା ବଢ଼ିବା ଏବଂ ଅପର୍ଯ୍ୟାପ୍ତ ଇନସୁଲିନର ଉତ୍ପାଦନ କାରଣରୁ ମନୁଷ୍ୟ ଡାଇବେଟିସରେ ଆକ୍ରାନ୍ତ ହୋଇଥାନ୍ତି। ଡାଇବେଟିସ୍ ଏକ ବଂଶଗତ ଦୀର୍ଘସ୍ଥାୟୀ ରୋଗ। ଡାଇବେଟିସ୍ ସମସ୍ୟା ହେଲେ ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୋଇଥାଏ ଯାହା ଦ୍ବାରା ହାନିକାରକ ବ୍ୟାକ୍ଟେରିଆ ଶରୀରରେ ପ୍ରବେଶ କରିଥାଏ। ଏପରି ପରିସ୍ଥିତିରେ ଲୋକଙ୍କୁ ଠିକ୍ ହେବା ପାଇଁ ସମୟ ଲାଗିଥାଏ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଡାଇବେଟିକ୍ ଅର୍ଥାତ୍ ହାଇ ବ୍ଲଡ ସୁଗାର ଥିବା ଲୋକଙ୍କଠାରେ କରୋନା ଭାଇରସ ହେବାର ଅଧିକ ଆଶଙ୍କା ଥାଏ। ହାଇ ବ୍ଲଡ ସୁଗାର କାରଣରୁ ଏପରି ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଆଗରୁ ଦୁର୍ବଳ ହୋଇଥାଏ। ଡାଇବେଟିସ୍ ରୋଗୀଙ୍କୁ କରୋନା ଭାଇରସରୁ ବର୍ତ୍ତିବା ପାଇଁ ବିଶେଷ ସାଧାନତା ଅବଲମ୍ବନ କରିବା ଆବଶ୍ୟକ। ହାଇଜିନକୁ ଧ୍ୟାନରେ ରଖି ବାରମ୍ବାର ନିଜ ହାତକୁ ସାବୁନ କିମ୍ବା ସାନିଟାଇଜରରେ ସଫା କରିବା ଉଚିତ୍।

