ବେଜିଂ,୧୩।୩: ଗତବର୍ଷ ଶେଷ ବେଳକୁ ଚାଇନାରେ ଦେଖାଦେଇଥିବା କରୋନା ଭାଇରସ ଧୀରେ ଧୀରେ ତା’ର କାୟା ବିସ୍ତାର କରିଥିଲା। ବିଶେଷ କରି ଉହାନ ସହରରେ ଏହା ଅଧିକ ପରିମାଣରେ ଦେଖାଦେଇଥିଲା। ଏହାପରେ ଅଧିକାଂଶ ହସ୍ପିଟାଲରେ ରୋଗୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ଏମିତିକି ପରିସ୍ଥିତି ଅଣାୟତ ହେବାରୁ କେତେକ ସିନେମା ହଲ୍, ଷ୍ଟାଡିମୟ, ମଲ୍ ଆଦିକୁ ହସ୍ପିଟାଲରେ ପରିଣତ କରାଯାଇ ରୋଗୀଙ୍କର ଚିକିତ୍ସା କରାଯାଇଥିଲା। ଏହାରି ଭିତରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମଧ୍ୟ କରୋନା କବଳରୁ ମୁକ୍ତି ପାଇପାରିଲେ ନାହିଁ। ଏବେ ଉହାନ ସହରରୁ ଆସିଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରୁ ଜଣାପଡିଛି କି ଉହାନ ସହରର ଏକ ହସ୍ପିଟାଲରୁ କରୋନା ସଂକ୍ରମିତ ଶେଷ ରୋଗୀ ଡିସ୍ଚାର୍ଜ ହେବା ପରେ ସେଠାକାର ଜଣେ ଡାକ୍ତର କେମିତି ହସ୍ପିଟାଲ ବେଡ୍ ଉପରେ ଥକା ମେଣ୍ଟାଉଛନ୍ତି। କୁହାଯାଉଛି କି ଚାଇନାରେ କରୋନା ଭାଇରସ ସଂକ୍ରମଣ ବଢୁଥିବା ବେଳେ ଏଠାକାର ଡାକ୍ତର ଦିନରାତି ଏକ କରି ରୋଗୀଙ୍କର ଚିକିତ୍ସା କରୁଥିଲେ। ଆଉ ଏବେ ଚାଇନାରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ ଇରାନ ଓ ଇଟାଲିରେ ଏବେ ଏହା ବୃଦ୍ଧି ପାଇବାରେ ଲାଗିଛି।
The post ଉହାନ ହସ୍ପିଟାଲରୁ ଡିସଚାର୍ଜ ହେଲେ ଶେଷ କରୋନା ସଂକ୍ରମିତ: ଫଟୋ ଭାଇରାଲ appeared first on Dharitri Odia News.

