ଇନ୍ଦୋର: ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ଯେ ସ୍ଥାନୀୟ ତତ୍ପତ୍ତି ବଖାଲ ଅଞ୍ଚଳରେ ରୋଗୀଙ୍କୁ ପରୀକ୍ଷା କରିବାକୁ ଯାଇଥିବା ଡାକ୍ତରୀ ଦଳ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ଅମାନବୀୟ। ଆକ୍ରମଣକାରୀଙ୍କ ବିରୋଧରେ ପୁଲିସ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି। ଆକ୍ରମଣ ଓ ହିଂସାରେ ସଂପୃକ୍ତ ୪ ଜଣଙ୍କୁ ଜାତୀୟ ସୁରକ୍ଷା ଆଇନ (NSA)ରେ ଗିରଫ କରାଯାଇଛି। ତେବେ ଏଭଳି ଆକ୍ରମଣ ପଛରେ ଏକ ଷଡ଼ଯନ୍ତ୍ର ଥିବା ରିପୋର୍ଟ କରିଛି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍। ଏକ ମିଛ ହ୍ବାଟ୍ସଆପ୍ ଭିଡିଓ ଡାକ୍ତରୀ ଦଳ ବାବଦରେ ଅପପ୍ରଚାର କରିବା ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସଂଚାର କରିଛି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।
ମଧ୍ୟପ୍ରଦେଶରୁ ଗୋଟିଏ ମାତ୍ର ଅନ୍ତର୍ଜାତୀୟ ବିମାନ ଚାଲେ- ଇନ୍ଦୋରରୁ ଦୁବାଇ। ଏହି ବିମାନରେ ହୁଏତ କିଛି କରୋନା ସଂକ୍ରମିତ ଆସି ଥାଇପାରନ୍ତି ବୋଲି ସ୍ଥାନୀୟ ପ୍ରଶାସନ ଆଶଙ୍କା କରୁଛି। ମଧ୍ୟପ୍ରଦେଶରେ ଆଜି ସୁଦ୍ଧା ୧୮୫ ଜଣ କରୋନା ଆକ୍ରାନ୍ତ ମିଳିଥିବା ବେଳେ କେବଳ ଇନ୍ଦୋରରେ ୧୧୫ ଜଣ କରୋନା ଆକ୍ରାନ୍ତ ଓ ଏମାନଙ୍କ ମଧ୍ୟରେ ୧୦ ଜଣ ଡାକ୍ତର ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ତତ୍ପତ୍ତି ବଖାଲ, ନୟାପୁରା, ଖଜରାନା, ଦୌଲତାଗଂଜ ସିଲାଓ୍ବାତପୁରା ଆଦି ଅଞ୍ଚଳର। ତତପତ୍ତି ବଖାଲ ଅଞ୍ଚଳରେ ଏପ୍ରିଲ ୧ ତାରିଖ ଦିନ ଡାକ୍ତର, ଆଶା କର୍ମୀ ଓ ରାଜସ୍ବ ଅଧିକାରୀଙ୍କ ଏକ ଦଳ ଉପରେ ସ୍ଥାନୀୟ ଲୋକେ ଆକ୍ରମଣ କରିଥିଲେ। ଏହି ଡାକ୍ତରୀ ଓ ପ୍ରଶାସନ ଦଳ ସ୍ଥାନୀୟ ଅଞ୍ଚଳରେ ସମ୍ଭାବ୍ୟ କରୋନା ଆକ୍ରାନ୍ତଙ୍କୁ ପରୀକ୍ଷା କରିବାକୁ ଯାଇଥିବା ବେଳେ ଏହି ଆକ୍ରମଣ ହୋଇଥିଲା।
ତେବେ ଏ ଆକ୍ରମଣକୁ ଉସୁକାଇବା ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଆକ୍ରମଣ ପୂର୍ବରୁ ଏହି ଅଞ୍ଚଳରେ ହ୍ବାଟ୍ସଆପ୍ରେ ଏକ ଭିଡିଓ ଭାଇରାଲ୍ କରାଯାଇଥିଲା। ଭିଡିଓରେ ଦାବି ହୋଇଥିଲା ଯେ ସୁସ୍ଥ ମୁସଲମାନ ବ୍ୟଙ୍କିଙ୍କୁ ପ୍ରଶାସନ ଉଠେଇ ନେଇ କରୋନା ଭୂତାଣୁ ସେମାନଙ୍କ ଶରୀରେ ଇଂଜେକ୍ଟ କରୁଛି। ଏହି ଭିଡିଓ ହିଁ ସ୍ଥାନୀୟ ମୁସଲମାନ ସଂପ୍ରଦାୟଙ୍କ ମଧ୍ୟରେ ଭୟ ସଂଚାର କରିଥିଲା। ଏଭଳି ସମୟରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସ୍ଥାନୀୟ ଅଞ୍ଚଳର ଜଣେ ୬୫ ବର୍ଷିୟ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ପରୀକ୍ଷା କରିବା ପାଇଁ ଏପ୍ରିଲ ୧ ତାରିଖ ଦିନ ଡାକ୍ତରୀ ଦଳ ପହଞ୍ଚିଥିଲେ ଓ ଆକ୍ରମଣର ଶିକାର ହୋଇଥିଲେ।
ସ୍ଥାନୀୟ ଲୋକେ ପ୍ରଥମରୁ ସହଯୋଗ କରିଥିଲେ ଓ କିଛି ପ୍ରଶ୍ନର ଉତ୍ତର ବି ରଖିଥିଲେ, ତେବେ ହଠାତ୍ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ ବୋଲି ଡାକ୍ତରୀ ଦଳର ଜଣେ ସଦସ୍ୟ ଗଣମାଧ୍ୟମକୁ କହିଛନ୍ତି। ଆକ୍ରମଣ ଓ ହିଂସାରେ ସଂପୃକ୍ତ ୪ ଜଣଙ୍କୁ ପୁଲିସ ଏନ୍ଏସ୍ଏ ବଳରେ ଗିରଫ କରିଛି। ତେବେ ତତପତ୍ତି ବଖାଲର ଅଧିବାସୀଙ୍କ କହିବା କଥା ଫେକ୍ ଭିଡିଓଟି ବୁଲିବା ପରେ ଲୋକେ ଡାକ୍ତରୀ ଦଳକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି।
The post ଇନ୍ଦୋର ଆକ୍ରମଣ ପଛରେ ମିଛ ଗୁଜବ! appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2020/04/05/fake-video-behind-indore-attack/

